Contents

Post Top Ad

your ad

Tuesday 25 April 2023

ଭଲପାଏ ବୋଲି

ଭଲପାଏ ବୋଲି


ସେ ଆସେ ୧୦ ନମ୍ୱର ମୋ ବସରେ

ତା ଆସିବା ମୋତେ କରେ ବାଟବଣା,

୬୦ଟି ଷ୍ଟପ୍ ରୁ ସେ କେଉଁ ୨ଟିର ଯାତ୍ରୀ

ଏବେ ମଧ୍ୟ ମୋତେ ଅଜଣା । (୧)


ସେ ଥାଏ ସକାଳର ପ୍ରଥମ ବସ୍ ରେ

ମୋ ଆସିବାର ଆଗରୁ ଆଉ ମୋ ଯିବାର ପରେ,

ସିଡିଏ ୬ ନା ସିଡିଏ ୯ କେଉଁଠି ସେ ଚଢେ

ତା ଉପସ୍ଥିତିରେ ମୋ ଛାତି ଥରେ । (୨)



ଜୟଦେବ ବିହାର ନା ଏଜି ସ୍କୋୟାର

ତା ଓହ୍ଲାଇବା ବି ମୋତେ ସମ୍ପୂର୍ଣ୍ଣ ଅଜଣା,

କେଜାଣି କଟକ କି ଭୁବନେଶ୍ବର

ଏଠି ଏତେ ବିହାର ଆଉ ସ୍କୋୟାର, କେଉଁଠି ଯେ ତା ଠିକଣା । (୩)


ନୀଳ ରଙ୍ଗର ମୋ ବସ୍ ଯାତ୍ରୀ ଥାଆନ୍ତି ଅନେକ

କିଛି ବସିଥାନ୍ତି, କିଛି ଛିଡ଼ାଥାନ୍ତି ଭିଡ଼ରେ,

ଏତେ ଭିଡ଼ରେ ବି ମୋ ଆଖି ଖାଲି ତାକୁ ଖୋଜେ

ମୋତେ ଲାଗେ ସେ ଅଛି ସବୁ ଛକ ସବୁ ମୋଡରେ । (୪)


ଅନେକ ଥର ମୁଁ ଭାବେ

ବସ୍ ଭିତରେ ସେ କଣ ଭାବୁଥିବ

କାନରେ ଇୟରଫୋନ୍ ଲଗେଇ ସେ କଣ ଶୁଣୁଥିବ,

ଡ୍ରାଇଭର ବ୍ରେକ୍ ମାରିଲେ ରାସ୍ତାରେ ହମ୍ପସ ପଡ଼ିଲେ

ସେ ଝୁଙ୍କି ପଡ଼ିଲେ ତା ନଜର କଣ ମୋ ଉପରେ ପଡୁଥିବ । (୫)



ଯେବେ ସେ ବସିଥାଏ ଝର୍କା ପାଖରେ

ନାଲି ନାଲି ସୂର୍ଯ୍ୟ କିରଣ ତା ମୁହଁରେ ଲେସିହୁଏ,

ମୋ ନିଦ୍ରାହୀନ କ୍ଳାନ୍ତ ଆଖି ତାକୁ ନିରେଖି ଚାହିଁଲା ବେଳେ

ତା ମଥାର ବିନ୍ଦି, ଶାଢ଼ୀର ଭାଙ୍ଗ, କାନର ଝୁମୁକା 

ତାକୁ ଆହୁରି ସୁନ୍ଦର କରିଦିଏ । (୬)


ପକ୍ଷୀ ଫେରିଗଲା ପରି ବସାକୁ

ସେ ବି ସନ୍ଧ୍ୟାରେ ଏଇ ବାଟେ ଫେରିବ,

ଅନେକ ଥର ମୋ ଅଫିସ୍ ସାରି ମୁଁ ଚାହିଁଥାଏ

ତାର ସାମାନ୍ୟ ଦର୍ଶନରେ ମୋ ଅପେକ୍ଷାର ତୃଷ୍ଣା ମରିବ । (୭)


ତାକୁ ମୁଁ ଅପେକ୍ଷା କରିଛି ବହୁବାର

ପ୍ରଚଣ୍ଡ ଗ୍ରୀଷ୍ମରେ ଲୋକ ବର୍ଷାକୁ ଚାହିଁଲା ପରି,

ସେ କିନ୍ତୁ ଚାଲିଯାଏ ମୋ ଆସିବାର ଯଥେଷ୍ଟ ପୂର୍ବରୁ

ତାକୁ ଭେଟିବାରେ ବାଧକ ସାଜେ ମୋ ଆଠ ଘଣ୍ଟିଆ ଚାକିରୀ । (୮)



ଯଦି କେବେ ସେ ମୋତେ ପଚାରନ୍ତା

ତୁମେ କଣ ଚାହଁ ବୋଲି,

ତେବେ ମୁଁ କୁହନ୍ତି

" ବସିବି ମୁଁ ତୁମ ପାଖେ ଏ ବସ୍ ରେ

ମନର ଅକୁହା କଥା କହିଲା ବେଳେ

ଖେଳିବାକୁ ଚାହେଁ ତୁମ ଖୋଲା କେଶରେ,

ତୁମ ହୃଦୟର ସ୍ପନ୍ଦନକୁ ଶୁଣୁଶୁଣୁ

କହିଦିଅନ୍ତି ମୋ ଓଠ ଖୋଲି ଭଲପାଏ ବୋଲି....

ଭଲପାଏ ବୋଲି ....

ଭଲପାଏ ବୋଲି....। " (୯)


✍️ ଶୁଭକାନ୍ତ 



No comments:

Post a Comment

Post Top Ad

your ad